ବଲାଙ୍ଗିର :-01/08 -ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ମରୁଆଁ ଗ୍ରାମ ପଞ୍ଚାୟତ ଝୁଲେନବର ଗାଁର ଝିଅ କୁମାରୀ ଚୁମକୀ ମିର୍ଦ୍ଧା ଭାରତୀୟ ସୀମା ସୁରକ୍ଷା ବଳରେ ନିଯୁକ୍ତି ପାଇ ଆଜି ଅଞ୍ଚଳ ପାଇଁ ଗର୍ବ ଆଣି ଦେଇଛନ୍ତି | ଅତି ଗରିବ ଆଦିବାସୀ ପରିବାରରୁ ଜନ୍ମ ଗ୍ରହଣ କରି ଛୋଟ ଗାଁରୁ ଯାଇ ଦେଶର ସୀମାରେ ସୁରକ୍ଷା ଦେବେ | ଦେଶକୁ ସୁରକ୍ଷା ଦେଇ ଶତ୍ରୁକୁ ସଂହାର କରିବେ | ଛୋଟ ଦିନରୁ ପାଠ ପଢ଼ାରେ କଲମ

ଧରୁଥିଲେ ସେ ଏବେ ହାତରେ ବନ୍ଧୁକ ଧରି ଦେଶକୁ ସୁରକ୍ଷା କରିବେ | ବାପା ବନ୍ତ ମିର୍ଦ୍ଧା ମା ଶ୍ରୀମତୀ ହାରା ମିର୍ଦ୍ଧା ଙ୍କ ଔରସରୁ ଜନ୍ମ ଗ୍ରହଣ କରିଛନ୍ତି | ପିଲାଟି ଦିନରୁ ମେଧାବୀ ଛାତ୍ରୀ ଚୁମକୀ ମିର୍ଦ୍ଧା | ପଞ୍ଚମ ଶ୍ରେଣୀରୁ ବେଲପଡା ଜବାହର ନବୋଦୟ ବିଦ୍ୟାଳୟରୁ ଯୁକ୍ତ ଦୁଇ ପଢ଼ି ସୀମା ବାହିନୀରେ ଯୋଗ ଦେବାକୁ ଅଭ୍ୟାସ କରୁଥିଲେ | ଗାଁରେ ଖେଳ ପଡ଼ିଆ ନଥିଲେ ମଧ୍ୟ ରାସ୍ତାରେ ଗାଁର ଝିଅ ମାନଙ୍କ ସହିତ ଦୌଡ଼, ଖେଳ କୁଦ, ଶାରୀରିକ ପରିଶ୍ରମ କରୁଥିଲେ | ଆଜି ବି.ଏସ.ଏଫ ଟ୍ରେନିଂରୁ ନିଜ ଗାଁକୁ ଫେରିଲା ସମୟରେ ପାଟଣାଗଡ଼ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ବସ ଷ୍ଟେସନ ଠାରେ କଳସ ସ୍ଥାପନ କରି, ଫୁଲ ମାଲ, ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ! ପରେ ପରେ ବାଜାର ତାଳେ ତାଳେ ସହର ମୁଖ୍ୟ ରାସ୍ତାରେ ଶୋଭାଯାତ୍ରାକରି ବ୍ଲକ ଛକ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ | ସ୍ୱାଗତ ସମ୍ବର୍ଦ୍ଧନା ଦେବା ସମୟରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ, ପୂର୍ବତନ ସୈନିକ ଯୋଗେଶ୍ୱର ଭୋଇ, ପରକ୍ଷିତ ମାଝୀ, ପ୍ରକାଶ ସାହୁ, ଯୁଧିଷ୍ଠିର ମିର୍ଦ୍ଧା ଓ ଅନ୍ୟ ମାନେ ଉପସ୍ଥିତ ଥିଲେ | ଗାଁକୁ ପହଂଚିବା ପରେ ଗାଁରେ ଗାଁ ମୁଣ୍ଡରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ଗ୍ରାମବାସୀ ଓ ଅଞ୍ଚଳ ବାସୀ ପାଛୋଟି ନେଇଥିଲେ !

(ବଲାଙ୍ଗିର ଜିଲ୍ଲାରୁ ଗଣେଶ ଦାସଙ୍କ ରିପୋର୍ଟ )
