ଖାଲଖମା ରାସ୍ତାରେ ୧୦ଗ୍ରାମବାସୀଙ୍କ ଯାତାୟାତ

ନୂଆପଡ଼ା,୧୪..୭(ଜିଲ୍ଲା ଖବର) : ନୂଆପଡ଼ା ଜିଲ୍ଲା କୋମନା ବୃକ କେନ୍ଦୁବାହାରା- ଫରଫୋର୍ତ ରାସ୍ତା ଶୋଚନୀୟ ହୋଇଛି। ଏହି ଖାଲଖମା ରାସ୍ତାରେ ୧୦ ଗ୍ରାମବାସୀ ଯାତାୟାତ କରି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଦିବାସୀ ବହୁଳ କେନ୍ଦୁବାହାରା ପଞ୍ଚାୟତରେ ସିରିଗିଡ଼ି, ଗଙ୍ଗାଦିଗଡ଼, ଖପରାପରା, ବ୍ରହ୍ମଣୀ, ଫରଫୋତକୁ ସାମିଲ କରାଯାଇଛି। ଏବେ ପଞ୍ଚାୟତ କାର୍ଯ୍ୟାଳୟରୁ ସିରିଗିଡ଼ିକୁ ପ୍ରାୟ ୪କିମି ରାସ୍ତା ଶୋଚନୀୟ ହୋଇଛି। ସେହିପରି ସିରିଗିଡ଼ିରୁ ଫରଫୋତ ରାସ୍ତା ମଧ୍ୟ ଅନୁରୂପ ରହିଛି। ଏଭଳି ସିରିଗିଡ଼ିରୁ ବ୍ରାହ୍ମଣୀ, ଖପରାପରା ଓ ଗଙ୍ଗାଦିଗଡ଼କୁ ରାସ୍ତା ଦୟନୀୟ ହୋଇପଡ଼ିଛି। ଏହି ଖାଲଖମା ରାସ୍ତାରେ ଆଦିବାସୀ ବହୁଳ ୫ଖଣ୍ଡ ଗାଁ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାଆସିବା କରୁଛନ୍ତି। ଗତ ୧୫ବର୍ଷ ହେବ ରାସ୍ତା ମରାମତି ହୋଇନଥିବାରୁ ଲୋକେ ଖାଲଖମା ରାସ୍ତାରେ ୧୦ଗ୍ରାମବାସୀଙ୍କ ଯାତାୟାତ ଦୁର୍ଦ୍ଦଶା ଭୋଗୁ ଛନ୍ତି। ଗତ ୧୦ ବର୍ଷ ହେବ ପିଚୁ ରାସ୍ତାରେ ମେଟାଲ, ଚିପ୍ସ ବାହାରି ଯାଇ ଖାଲଖମା ସୃଷ୍ଟି ହେଲାଣି। ରାସ୍ତା ଉପରେ ମେଟାଲ ପଡିଥିବାରୁ ସାଇକଲ, ବାଇକ ଓ କାର ଚଳାଚଳରେ ଅସୁବିଧା ହେଉଛି। ଏହି ରାସ୍ତାର ଅନେକ ସ୍ଥାନରେ ଗର୍ଭ ସୃଷ୍ଟି ହୋଇଛି। ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ଆମ୍ବୁଲାନ୍ସ ଯାତାୟାତରେ ସମସ୍ୟା ହେଉଛି। ଏଭଳି ସ୍ଥିତିରେ ଅନେକ ରୋଗୀ ଓ ଗର୍ଭବତୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସିରିଗିଡି,ବ୍ରାହ୍ମଣୀ, ଖପରାପରା ଓ ଗଙ୍ଗାଦିଗଡ଼, ଫରଫୋତ ଆଦି ଗାଁର ଛାତ୍ରଛାତ୍ରୀ କେନ୍ଦୁ ବାହାର ହାଇସ୍କୁଲକୁ ଉଚ୍ଚଶିକ୍ଷା ପାଇଁ ଆସିଥାନ୍ତି। ଖାଲଖମା ରାସ୍ତାରେ ସେମାନେ ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ଅନେକ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏସବୁ ଗାଁ ଲୋକେ ପଞ୍ଚାୟତ କାର୍ଯ୍ୟାଳୟରୁ ପିଡ଼ିଏସ ସାମଗ୍ରୀ ନେବା ସମୟରେ ସାମଗ୍ରୀ ନଷ୍ଟ ହେଉଛି। ସେହିପରି ବିଧବା, ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗମାନେ ଭତ୍ତା ପାଇଁ ପଞ୍ଚାୟତକୁ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ମରାମତି ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ହେଉଥିଲେ ହେଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୁକାରୀ ନିଦାବିଷ୍ଣୁ ସାଜିଛନ୍ତି। ତୁରନ୍ତ ରାସ୍ତା ମରାମତି ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!