ମହୁଲଭଟା ଗାଁରେ ପାନୀୟ ଜଳ ସମସ୍ୟା, ୩ ମାସରୁ ଉର୍ଦ୍ଧ୍ବ ହେବ ପାନୀୟ ଜଳ ଯୋଗାଣ ବନ୍ଦ,ନଳକୂଅରୁ ବାହାରୁଛି ଗୋଳିଆ ପାଣି

ନୂଆପଡା,୧୨/୦୭(ଜିଲ୍ଲା ଖବର)(ଓମ ପ୍ରକାଶ ଚୌଧୁରୀ)ଲୋକଙ୍କ ପାନୀୟ ଜଳ ନିମନ୍ତେ ସରକାର ଅନେକ ପ୍ରକାର ଯୋଜନା ମାଧ୍ୟମରେ ସ୍ବଛ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି । ହେଲେ କୋମନା ବ୍ଲକ ମହୁଲଭଟା ଗ୍ରାମର ଲୋକେ ଏତେ ବ୍ୟବସ୍ଥା ମଧ୍ୟରେ ନଳକୂଅର ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଯାହାଦ୍ବାରା ଝାଡା ବାନ୍ତି ତଥା ଅନେକ ପ୍ରକାର ରୋଗର ଶିକାର ହେଉଥିବା ଦେଖ‌ିବାକୁ ମିଳିଛି। ଗାଁରେ ୪ ଟି ୱାର୍ଡରେ ୧୫ ଶହରୁ ଅଧିକ ଲୋକ ବସବାସ କରନ୍ତି। ତନ୍ମଧ୍ୟରୁ ଆଦିବାସୀ ଓ ଅନୁସୂଚିତ ଜନ ଜାତି ସମ୍ପ୍ରଦାୟର ଲୋକେ ନାନାଦି ପ୍ରକାର କାମ କରି ଗୁଜୁରାଣ ମେଣ୍ଟାଇ ଥାନ୍ତି। କିନ୍ତୁ ଗାଁରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଠିକ ଭାବେ ବିଭାଗ ଯୋଗାଉ ନଥୁବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।କୋମନା ବ୍ଲକ ସୁନ୍ଦର ଜଳ ସେଚନ ପ୍ରକଳ୍ପ ଜଡ଼ାମୁଣ୍ଡା ରୁ ପାଇପ ଯୋଗେ ଗାଁକୁ ପିଇବା ପାଣି ଗତ ବର୍ଷରୁ ଆସୁଥିବା ବେଳେ ୩ ମାସ ହେବ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହେବାରୁ ଗାଁଲୋକେ ସ୍ବଛ ପାନୀୟ ଜଳ ପାଇବାରୁ ବଂଚିତ ଅଛନ୍ତି । ଯାହାଦ୍ବାରା ନଳକୂଅ ରୁ ବାହାରୁ ଥିବା ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ଗାଁରେ ଆବଶ୍ୟକ ମୁତାବକ ନଳକୁପ ନଥୁବା ବେଳେ ଉକ୍ତ ନଳକୂଅରୁ ଆସୁଥିବା ଫ୍ଲୋରାଇଡ଼ ଯୁକ୍ତ ପାଣି ପିଇବାକୁ ଲୋକେ ବାଧ୍ୟ ହେଉଛନ୍ତି । ଏ ନେଇ ଅନେକ ଥର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ତଥା ବିଭାଗକୁ ଜଣାଇଥିଲେ ସୁଦ୍ଧା ବିଭାଗ ଦୃଷ୍ଟି ଦେଉନଥୁବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ଯଥାଶୀଘ୍ର ପାନୀୟ ଜଳ ଯୋଗାଣ ସମସ୍ୟାର ଆଶୁ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!