ନୂଆପଡା ରେ ଆରମ୍ଭ ହେବ “ସ୍ୱସ୍ଥ୍ୟ ନାରୀ, ସଶକ୍ତ ପରିବାର ଅଭିଯାନ” l

ନୂଆପଡା, ତା ୧୦/୦୯ ଜିଲ୍ଲା ଖବରପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୭୫ ତମ ଜନ୍ମ ଦିବସ ଉପଲକ୍ଷେ ସେପ୍ଟେମ୍ବର ୧୭ ରୁ ସମଗ୍ର ଦେଶରେ ଆରମ୍ଭ ହେବାକୁ ଯାଉଛି “ସ୍ୱସ୍ଥ୍ୟ ନାରୀ, ସଶକ୍ତ ପରିବାର ଅଭିଯାନ” l ଏହା ଏକ ଜାତୀୟ ସ୍ତରୀୟ ଅଭିଯାନ ଯାହା ଓଡ଼ିଶା ସମେତ ସମସ୍ତ ରାଜ୍ୟରେ ଏକ ସୁସ୍ଥ ଭବିଷ୍ୟତ ପିଢ଼ି ଗଠନ ପାଇଁ ଶିବିର ପଦ୍ଧତି ମାଧ୍ୟମରେ ସମସ୍ତ ବୟସର ମହିଳା ଏବଂ ଝିଅମାନଙ୍କୁ ପ୍ରାଥମିକତା ଭିତ୍ତିରେ ବ୍ୟାପକ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସେବା ପ୍ରଦାନ କରିବା ପାଇଁ ଯୋଜନା କରାଯାଇଛି। ଏହି ଅଭିଯାନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

ଡଃ ଧନେଶ୍ୱର ସେଠୀ ଙ୍କ ସହିତ ଚିକିତ୍ସା ବିଭାଗର ସମସ୍ତ ଅଧିକାରୀ ଯୋଗ ଦେଇଥିଲେ l ସୂଚନାଯୋଗ୍ୟ ଯେ ଏହି ଅଭିଯାନ ମାନ୍ୟବର ପ୍ରଧାନମନ୍ତ୍ରୀ ୧୭ ସେପ୍ଟେମ୍ବର ରେ ଇନ୍ଦୋରଠାରେ ଉଦଘାଟନ କରିବେ।ଏହା ୨ ଅକ୍ଟୋବର ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ l ଏଥିରେ ପ୍ରଶାସନ, ଜନସ୍ୱାସ୍ଥ୍ୟ , ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ମଞ୍ଚ ,ଏଜେନ୍ସି , ହସ୍ପିଟାଲ ସମେତ ଏନଜିଓମାନେ ସାମିଲ ହେବେ।ଏହି ଅଭିଯାନରେ ସମସ୍ତ ମହିଳା ପ୍ରାରମ୍ଭିକ ,ଶୈଶବରୁ ,ଶିଶୁ, କିଶୋରାବସ୍ଥା, ପ୍ରାପ୍ତବୟସ୍କା ଏବଂ ବରିଷ୍ଠ ମହିଳା ମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ l ସ୍କ୍ରିନିଂର ଏକ ଅଂଶ ଭାବରେ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏବଂ ଅନ୍ୟାନ୍ୟ ଲାଇନ ବିଭାଗ ସହିତ ଜଡିତ ସମସ୍ତ ମହିଳା ଅଧିକାରୀ ସେବା ପ୍ରଦାନକାରୀ,କର୍ମୀ,ମୋବିଲାଇଜର ଙ୍କର ସ୍କ୍ରିନିଂ କରାଯିବ l ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ,ଆଶା, ସ୍ୱାସ୍ଥ୍ୟକର୍ମଚାରୀ , ଚିକିତ୍ସକ, ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ, ନର୍ସିଂ ଅଧିକାରୀ, ଏଲଟି, ସ୍ବାସ୍ଥ୍ୟ ବିଶେଷଜ୍ଞ, ଡାକ୍ତର, ମହିଳା ଓ ଶିଶୁ ବିକାଶ ବିଭାଗ ସହାୟକ, ପର୍ଯ୍ୟବେକ୍ଷକସମସ୍ତ ଶିକ୍ଷୟତ୍ରୀ, ଏଏନ୍ ଏମ୍,ମିଶନ ଶକ୍ତି ଗୋଷ୍ଠୀ ଅଭିଯାନରେ ସାମିଲ ହେବେ। ମହିଳା ମାନଙ୍କ ବ୍ୟାପକ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା ଯଥା ଉଚ୍ଚ ରକ୍ତଚାପ, ମଧୁମେହ, ମୁଖ କର୍କଟ, ସ୍ତନ କର୍କଟ ଏବଂ ଗର୍ଭାଶୟ କର୍କଟ ପାଇଁ ଏନସିଡି ସ୍କ୍ରିନିଂ କରାଯିବ

l ଆବଶ୍ୟକ ସ୍ଥଳେ ଯକ୍ଷ୍ମା ,ସିକଲ୍ ସେଲ୍ ଏବଂ ଥାଲାସେମିଆ ପାଇଁ ସ୍କ୍ରିନିଂ, ଏଏନସି ସ୍କ୍ରିନିଂ କରାଯିବ l ବୟସ ଉପଯୋଗୀ ଟୀକାକରଣ କରାଯିବ l ସ୍ୱାସ୍ଥ୍ୟ ସ୍କ୍ରିନିଂ ବ୍ୟତୀତ ଶିବିରରେ ମାସିକ ଧର୍ମ ପରିଚ୍ଛନ୍ନତା, ତେଲ ଏବଂ ଚିନି ବ୍ୟବହାର ହ୍ରାସ ବିଷୟରେ ସଚେତନତା ସୃଷ୍ଟି କରାଯିବ। ନୂଆପଡା ଜିଲ୍ଲାରେ ଏହି ଜାତୀୟ କାର୍ଯ୍ୟକ୍ରମର ଶତ ପ୍ରତିଶତ ସଫଳତା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ l ଆଜିର ବୈଠକରେ ଡଃ ଲଲିତ ମୋହନ ବିଶୀ, ଡଃ ଦ୍ବାରିକାନାଥ ଶତପଥୀ , ଡଃ ଉମାକାନ୍ତ ମେହେର, ଡଃ ତନ୍ମୟ ତ୍ରିପାଠୀ, ଡଃ ଦିଲ୍ଲୀପ ଦାଶ, ଡି ପି ଏମ୍ ସତ୍ୟ ନାରୟଣ ତ୍ରିପାଠୀ, ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!