ବଳବଂତ ସାହୁଙ୍କ ‘ଧାନଫୁଲ’ କବିତା ସଂକଳନ ଉନ୍ମୋଚିତ*

ନୂଆପଡ଼ା:୧୪/୦୭(ଜିଲ୍ଲା ଖବର. ଓମ ପ୍ରକାଶ ଚୌଧୁରୀ.)-ସାହିତ୍ୟ ପତ୍ରିକା ସୃଜନ ସଳିତା ‘ନବନୀତା’ ପକ୍ଷରୁ ଆୟୋଜିତ ଯୁବ ସାହିତ୍ୟିକ ସମାବେଶ ‘ପଲ୍ଲବନ’ ଅବସରରେ ଯୁବକବି ବଳବଂତ ସାହୁଙ୍କ କବିତା ସଂକଳନ ‘ଧାନଫୁଲ’ ଉନ୍ମୋଚିତ ହୋଇଯାଇଛି। ବଲାଙ୍ଗିର ସାମ୍ବାଦିକ ଭବନଠାରେ ପତ୍ରିକାର ସଂପାଦକ ରାଜେଶ ଝାଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଶିଷ୍ଟ ସାହିତ୍ୟିକ ବାସୁଦେବ ସୁନାନୀ, ସାମାଜିକ କର୍ମୀ ତଥା ସାହିତ୍ୟିକ ସରୋଜ ମହାନ୍ତି ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। କବି ଶ୍ରୀ ସାହୁ ଲେଖକୀୟ ବକ୍ତବ୍ୟରେ ସାହିତ୍ୟ ସମାଜରେ ପରବର୍ତ୍ତନର ମଞ୍ଜି ବୁଣିପାରେ ବୋଲି ଦୃଢୋକ୍ତି ପ୍ରକାଶ କରିଥିବା ବେଳେ ଅଧ୍ୟାପକ ଡ. କୌତୁକ ପନ୍ଦର ପୁସ୍ତକର ସଂକ୍ଷିପ୍ତ ସମୀକ୍ଷା ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ପତ୍ରିକାର ସୃଜନ ସହଯୋଗୀ ଡ. ଜଗନ୍ନାଥ ସାହୁ, ପରିଚାଳନା ସମ୍ପାଦକ ଯୁଜେଷ୍ଠି ମେହେର ପ୍ରମୁଖ ସହଯୋଗ କରିଥିଲେ। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଭୁଷଲାଡ଼ ନିବାସୀ ବଳବଂତ ନବପ୍ରଜନ୍ମର ଜଣେ ପ୍ରତିଭାବାନ କବି। ତାଙ୍କ କବିତାରେ ସମାଜର ତମାମ୍ ଦୁଃଖ, ଅସହାୟତା, ଅପାରଗତା, ଅନ୍ଧବିଶ୍ୱାସ, ଓ ସେଥିରେ ଲୁଚି ରହିଥିବା ସ୍ନେହ, ପ୍ରେମ ଭଲପାଇବାର ସୂକ୍ଷ୍ମ ଭାବନା ପ୍ରତିଫଳିତ। ତାଙ୍କର ପ୍ରଥମ କବିତା ସଙ୍କଳନ ପାଠକ ମାନଙ୍କ ମନ ମୋହିବ, ତାଙ୍କ ‘ଧାନଫୁଲ’ର ବାସ୍ନା ଚାରିଆଡ଼େ ଚହଟି ଯିବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!